Home Faith & Encouragement Where is the Real Hero now? A COVID-19 Reflection

Where is the Real Hero now? A COVID-19 Reflection

200
0

ଲେଖକ – ଶିମିୟୋନ ମାଳି

ଅସଲି ହିରୋ ଏବେ କେଉଁଠି! ଏଠି ସେଠି ଅସଲି ହିରୋ ର ଦରକାର ପଡୁଛି! ଆପଣ କେଉଁଠି ଦେଖିଛନ୍ତି କି! କେଉଁଠି ଆପଣ ଭେଟିଛନ୍ତି  କି! ଦେଶରେ ହୁ ହୁ ହୋଇ କରୋନା ବଢି ଚାଲିଛି। କରୋନା ଟେଷ୍ଟ୍ ପାଇଁ ଲମ୍ବା ଲାଇନ ପ୍ରତିଦିନ ଦେଖିବାକୁ ମିଳୁଛି । ଲାଇନ ଛିଡ଼ୁ ନାହିଁ,  ମେଡିକାଲରେ ବେଡ଼ର ଅଭାବ । ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଶ୍ମଶାନରେ ଲମ୍ବା ଲାଇନ ଲାଗୁଛି, ଶବ ପୋଡିବା ପାଇଁ । ଦିନ ରାତି ବ୍ୟବହାର ଯୋଗୁ ଶବ ପୋଡିବା ମେସିନ୍ ମଧ୍ୟ ଅଚଳ ହୋଇ ଯାଉଛି । ଟେଲିଭିଜନ, ଖବରକାଗଜ, ୟୁଟ୍ୟୁବ ଆଦିରେ ଖାଲି କରୋନାର ଭୟ ଏବଂ ତାର ପ୍ରଭାବର କଥା। କିନ୍ତୁ ଅସଲି ହିରୋ ଏସବୁ ଦୃଶ୍ୟକୁ ଦେଖି ଡରି ଯାଏନା ।  

ଅସଲି ହିରୋ ସିଏ, ଯେ କରୋନା କୁ ଜୀବନର ବଡ଼ ଶତ୍ରୁ ବୋଲି ଭାବେ । ତାହାର ପ୍ରଭାବକୁ ଖାତିରି କରେ ନାହିଁ । ମନୋବଳ ଦୃଢ କରେ । ଯେ ପର୍ଯ୍ୟନ୍ତ ତାକୁ ଧ୍ୱଂସ ନ କରିଛି, ସେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖି ଥାଏ । ସାହି ପଡ଼ିଶାର ଭୟ ଆଉ ଭ୍ରାନ୍ତି କଥାରେ ତାର ମନ ନଥାଏ । ସେସବୁରୁ ତାକୁ କଣ ମିଳିବ? ତାର ଆଖିରେ, ମନରେ ଆଉ ଶରୀରରେ ଯୁଦ୍ଧ କରିବାର ବହ୍ନି ନିତି ଜଳୁଥାଏ । ସେ ନକଲି ହିରୋ ନୁହଁ  ମ! ଖାଣ୍ଟି ଅସଲି ।

ଏହିଭଳି ମହାମାରୀ କଣ ଆଜିର! ତାର ଉତ୍ପତି କେଉଁ ଆଦିମ କାଳରୁ । ମୋଶାଙ୍କ ଅମଳରୁ ଯେବେ ମିସର ଦେଶ ଉପରେ ଦଶଟି ଦଣ୍ଡ ପଡିଥିଲା । ତାହା ମିସର ଦେଶର ଆର୍ଥିକ ଆଉ ସାମାଜିକ ଅବସ୍ଥା ଦୋହଲାଇ ଦେଇଥିବ । ଯାହା ମିସର ଦେଶରେ କେବେ ଘଟି ନଥିଲା, ସେସବୁ ଘଟିଲା ଏବଂ ଅନେକ ମୃତାହତ ହେଲେ । ଏପରି ମଧ୍ୟ ଘଟିଲା ଯେ ମିସର ଦେଶରେ ଏପରି ଏକ ଗୃହ ନଥିଲା ଯେଉଁଠାରେ କିଏ ମରି ନଥିଲେ । ସବୁ ଗୃହରେ ମୃତ୍ୟୁର ହାହାକାର୍ ଏବଂ ମହାରୋଦନ ହୋଇଥିଲା (ଯାତ୍ରା 12:30) ।

ଏସବୁ ପଛରେ ଥିଲା ଫାରୋ ରାଜାଙ୍କ ଖାମଖିଆଲ ମନୋଭାବ ଏବଂ ଇଶ୍ୱରଙ୍କ ଶକ୍ତି ସହିତ ଖେଳିବା ଗୁଣ । ସବୁବେଳେ ଖାମଖିଆଲ ହେଲେ ଚଳିବ କି! ଖାମଖିଆଲ ମନୋଭାବ ସକାଶୁ ଅନେକ ଦୁଃଖରେ ପଡନ୍ତି । କିନ୍ତୁ ଯେ ସତର୍କ ହୁଏ ସେ ରକ୍ଷା ପାଇଯାଏ । ଆପଣ କାହାକୁ ବାଛିବେ। ଖାମଖିଆଲ ମନୋଭାବକୁ ନା ସତର୍କତା କୁ । ପସନ୍ଦ ଆପଣଙ୍କର । ବାଇବଲ କହେ, “ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ । ମାତ୍ର ଅସତର୍କ ଲୋକ ଆଗବଢ଼ି ଶାସ୍ତି ପାଏ” (ହିତୋପଦେଶ 27:12)

କରୋନା ଭାଇରସକୁ  ଯଦି ଆଖି ସାମ୍ନା ରେ ଦେଖି ହୁଅନ୍ତା, ତାକୁ ଏକାକୀ ଦେଖି ଆକ୍ରମଣ କରି ହୁଅନ୍ତା । ତାକୁ ପଙ୍ଗୁ କରା ଯାଇ ପାରନ୍ତା। ତାହା କଣ ହୋଇ ପାରୁଛି କି! ସେ ପରା ଲୁଚ କାଳି ଖେଳ ଖେଳୁଛି । କେତେବେଳ କେଉଁ ରୂପରେ ଆସୁଛି, ଜମାରୁ ଜଣା ପଡୁନି । ଘଡ଼ିକେ ଘଡ଼ି ରୂପ ତାର ବଦଳୁଛି । ଜାଣିବା ଭାରି କଷ୍ଟ ହୋଇ ପଡୁଛି । ପବନରେ ଘୁରି ବୁଲୁଛି । ଗଳାବାଟ ଖୋଜୁଛି, ପାଇଲେ ନାକ ଆଉ ପାଟି ଦେଇ ଭସ୍ ଭସ୍ କରି ପଶି ଯାଉଛି ।

ଆଗରୁ ଜାଣି ନଥିଲୁ ବୋଲି, ତୋ ଖେଳ ତୁ ଦେଖାଇଲୁ । ଆମେ ଏବେ ଅଳ୍ପ ବହୁତ ଜାଣି ଗଲୁଣି, ତୋ ଖେଳର କୌଶଳ, ଏହି ବର୍ଷେ ଭିତରେ । ଆଉ ଡରାଇ ପାରିବୁନି ମ! ପାଟି ଆଉ ନାକ ଦେଇ ପଶିଯାଉଛୁ ତ! ହେଲା, ଠିକ ଅଛି! ବଜାରରୁ 6 ରୁ 7 ଟା ମାସ୍କ କିଣିଆଣିଛୁ । ପ୍ରତିଦିନ ନୂଆ ମାସ୍କ ପିନ୍ଧିବୁ । ସାନିଟାଇଜର ବୋଳି ହେବୁ । ଯଦି ଆଉ ବେଶୀ ଦେଖାଇବୁ, ଆମେ ଭ୍ୟାକସିନ୍ ନେବୁ । ବୁଝିବା ଲୋକ, ବୁଝିଲେ ହେଲା । ଏହି ଯୁଦ୍ଧ ରେ ଆମର ବିଜୟ ସୁନିଶ୍ଚିତ । ଦିନେ ନା ଦିନେ ତୁ ହାରିବୁ । ଏଥିପାଇଁ ଯାହା ଶକ୍ତି ଦରକାର, ଆମେ ଆମର  ଶକ୍ତିଦାତାଙ୍କ ଠାରେ ମାଗୁଛୁ । ଶକ୍ତିଦାତାଙ୍କ ସାହାଯ୍ୟରେ ଆମେ ସବୁ କରିପାରୁ (ଫିଲିପୀୟ 4:13)। ଏହା ଜାଣି ରଖି ଥା ।

ଲକ ଡାଉନ୍, ସଟଡାଉନ୍ କଣ ଜାଣି ନଥିଲୁ । କରୋନା ଆସି ତାହା ଆମକୁ ଜଣାଇ ଦେଲା । ଦୋକାନ ବଜାର ବନ୍ଦ। ପ୍ରାର୍ଥନା ଗୀର୍ଜା ବି ବନ୍ଦ । ସଟଡାଉନ୍ ଅଟକାଇ ପାରିବ କି ଭକ୍ତ ର ଭକ୍ତି ଭାବକୁ । ଭାଙ୍ଗି ପାରିବକି ତାର ଦୃଢ ବିଶ୍ୱାସକୁ । ଆଗରୁ ଚାରି କାନ୍ଥ ଭିତରେ ସେବା ଥିଲା । କିନ୍ତୁ ଏବେ ଚାରି କାନ୍ଥରୁ ବାହାରି ବ୍ୟାପକ ହେଲାଣି । ଜ଼ୁମ୍ ରେ ଆଉ ଗୁଗୁଲ୍ ମିଟ୍ ରେ ସେବା ଜୋରଦାର ହେଉଛି । ଦେଶର ବିଭିନ୍ନ ସ୍ଥାନରୁ ପୁଣି ବିଶ୍ୱର ସମସ୍ତେ ଯୋଡ଼ି ହୋଇପାରୁଛନ୍ତି । ଭାରି ଭଲ ଲାଗୁଛି । ଆଗରୁ ଟିକେ ଅଡୁଆ ଲାଗୁଥିଲା । ଏବେ ଅଭ୍ୟସ୍ତ ହୋଇ ଗଲୁଣି । ପ୍ରଭୁଙ୍କର ଗୌରବ ହେଉ ଯେ ରାତି ସାରା ଉପବାସ ପ୍ରାର୍ଥନା ମଧ୍ୟ ଚାଲିଲାଣି । ଲୋକେ ସମୟକୁ ଅପେକ୍ଷା କରି ବସୁଛନ୍ତି, ମିଟିଙ୍ଗ ଆରମ୍ଭ ହେଲେ ପ୍ରଭୁଙ୍କର ବାକ୍ୟ ଶୁଣୁଛନ୍ତି, ଲେଖୁଛନ୍ତି ଆଉ ଦରକାର ଅନୁସାରେ ସାଉଣ୍ଟୁଛନ୍ତି । ଭାରି ଭଲ କଥା । କୌଣସି ସମସ୍ୟା ପ୍ରଭୁଙ୍କ ସେବାକୁ ଅଟକାଇ ପାରିବକି । କେବେ ନୁହେଁ । ସମସ୍ୟା ଆସିଲେ ପ୍ରଭୁଙ୍କ ସେବା ବଢେ । ଇତିହାସ ଏହାର ସାକ୍ଷୀ ।

ସମ୍ପ୍ରତି ପରିସ୍ଥିତି ରେ ଅସଲି ହିରୋର ଅଭାବ ଦେଖା ଯାଉଛି । ନକଲି ହିରୋ ତ ବ୍ୟାପିଗଲେଣି । ତାଙ୍କୁ କିଏ ପଚାରେ । ଆପଣ ଅସଲି ହିରୋଟିଏ ହୋଇ ପାରିବେ! ସେମିତି କୌଣସି ବଡ କାମ କରିବାକୁ ପଡ଼ିବନି । ମନ ଟିକେ ପଥର ଭଳି ଟାଣ କରିବାକୁ ପଡ଼ିବ । ଭୟଭୀତ ହେଲେ ଚଳିବନି ଏଠି ।

କରୋନା ବିରୁଦ୍ଧରେ ଯୁଦ୍ଧ କରିବାର ସମୟ ଆସିଛି । ସେ କେତେବେଳେ, କେଉଁଠି ହେଲେ ବି ଆକ୍ରମଣ କରିପାରେ। ଟିକେ ସତର୍କ ରହିବାର ଆବଶ୍ୟକ ଅଛି । ତାହା ସହ କେବେ ଯଦି ମୁହାଁ ମୁହିଁ ହୋଇଯାଅ, ତାକୁ ହରାଇବା ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିବାକୁ ହେବ । ଯେଉଁ ବାଟ ଦେଇ ଆସିଥିଲା, ସେଇ ବାଟ ଦେଇ ତାକୁ ବିଦା କରିବାକୁ ହେବ । ଏଇ ଦୃଢ଼ ମନୋଭାବ ଟିକେ ଦରକାର ପଡ଼ୁଛି । ଆପଣ ଅସଲି ହିରୋ ଟିଏ ହୁଅନ୍ତୁ । ଏଇ ଯୁଦ୍ଧରେ ବିଜୟ ଲାଭ ଆପଣ ଏବଂ ଆପଣଙ୍କ ପରିବାର କରନ୍ତୁ। ଏହା ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ।