Home Faith & Encouragement Finding faith

Finding faith

321
0

ଲେଖକ – ସିମିୟୋନ ମାଳି

ବିଶ୍ୱାସ କେତେ ଲୋଡ଼ା ବିଷୟ ଟିଏ ସତେ । କେହି ଏହାକୁ ଦେଖି ନ ପାରିଲେ ବି ଆଖିରେ, ହୃଦୟରେ ଅନୁଭବ କରି ହୁଏ । ବିଶ୍ୱାସ ରାଜାର ଦରକାର । ପ୍ରଜାର ମଧ୍ୟ ଦରକାର । କୋଟିପତି ପାଇଁ ଦରକାର । ଭିକାରିଟି ପାଇଁ ବି ଦରକାର । କିନ୍ତୁ ଏହି ମହାମାରୀ ସମୟରେ, ଏହାର ନିତ୍ୟାନ୍ତ ଭାବେ ଆବଶ୍ୟକ ହୋଇ ପଡିଛି । ସାମାନ୍ୟ ଲକ୍ଷଣ ଥିବା ରୋଗୀ ଅବା ଭେଣ୍ଟିଲେଟର ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ରୋଗୀଟିଏ ପାଇଁ ଅତି ମୂଲ୍ୟବାନ ହୋଇ ପଡୁଛି ଏହି ବିଷୟଟି  । ସିଏ ଧନ୍ୟ ଯାହା ପାଖରେ ପଥର ଭଳି ବିଶ୍ୱାସ ରହିଛି ।

ବିଶ୍ୱାସ ର ଅର୍ଥ ବଡ ବ୍ୟାପକ । ବିଶ୍ୱାସ ଶବ୍ଦଟି ଲାଟିନ ଶବ୍ଦ ଫିଡ଼ସ ରୁ ଆସିଛି । ଯାହାର ଅର୍ଥ ନିଜ ଉପରେ ଦୃଢ଼ତା ରଖିବା । ଆଉ ଗଭୀର ଭରସା ରଖିବା । ବାଇବଲ କହେ, ବିଶ୍ୱାସ ଏହା ଅଟେ ଯାହା ମଣିଷ କେବେ ଦେଖି ନାହିଁ କିଅବା ଭାବି ନାହିଁ, ସେହି ବିଷୟ ହୋଇଯିବ ବୋଲି ଭାବିବା (ଏବ୍ରୀ 11:1) । ଏହି ସଂଜ୍ଞା ଅନୁସାରେ ବିନା ଦ୍ୱିଧା ରେ ରୋଗୀ ଟି ଭାବିବା ଦରକାର ଯେ ସେ ସୁସ୍ଥ ହେବ । ସମସ୍ତେ କଣ ତାହା ଭାବି ପାରିବେ ଏହି ମହାମାରୀ ସମୟରେ । କେବେ ନୁହଁ । କରୋନା ଟେଷ୍ଟ୍ ହେଉ ହେଉ ତ ଝାଳ ଗମ୍ ଗମ୍ ବାହାରିଲାଣି । ହାର୍ଟ୍ ବିଟ୍ ବଢ଼ି ଗଲାଣି । ଦୁଶ୍ଚିନ୍ତା ମାଡ଼ି ଆସିଲାଣି । ମନକୁ ଆଉ ଶରୀର କୁ ଦୁର୍ବଳ କରିଲାଣି । ମେଡିକାଲ୍ ଗଲେ ଆଉ କଣ ନ ହେବ ମନ ଆଉ ଶରୀର । ଦୃଢ ଟିକେ ହୁଅ ବନ୍ଧୁ । ମନରୁ ଡର ଟିକେ କାଢ଼ି ଦିଅ । ବିପଦ ସମୟରେ ଡରିଗଲେ ହେବ କି !

ନିଜ ଉପରେ ବିଶ୍ୱାସ ସହିତ ପ୍ରଭୁ ଯୀଶୁଙ୍କ ଉପରେ ବି ବିଶ୍ୱାସ ରଖିବା ଦରକାର୍ । ପ୍ରଭୁ ଯୀଶୁଙ୍କର ରୋଗକୁ ସୁସ୍ଥ କରିବା ଶକ୍ତି ଅଛି । କ୍ଷତ କୁ ବାନ୍ଧିବାର ଶକ୍ତି ତାଙ୍କ ପାଖରେ ଅଛି । ସ୍ତ୍ରୀ ଲୋକଟିଏ । ବାର ବର୍ଷ ଧରି ପ୍ରଦର ରୋଗରେ ଆକ୍ରାନ୍ତ । ରୋଗ ଉପଶମ ପାଇଁ ବହୁ ଆଡ଼େ ଯାଇଛି । ରୋଗ ଦେଖାଇଛି ଅନେକ ବୈଦ୍ୟଙ୍କୁ  । ଲାଭ କିଛି ହୋଇନାହିଁ । ବରଂ ସୁସ୍ଥ ହେବା ପରିବର୍ତ୍ତେ ଅଧିକରୁ ଅଧିକ ଅସୁସ୍ଥ ହୋଇ ହୋଇ ଯାଉଛି । ଯୀଶୁ ଯେ ସୁସ୍ଥ କରି ପାରନ୍ତି ଏହା ଶୁଣି ବିଶ୍ୱାସ କରିବାକୁ ଲାଗିଲା । ତାର ବିଶ୍ୱାସ କ୍ରମେ କ୍ରମେ ଦୃଢ ହେବାକୁ ଲାଗିଲା । ଭାବି ନେଲା ସେ ଯଦି ଟିକିଏ ଲୁଗା ଯୀଶୁଙ୍କର ଛୁଇଁଦେବ । ସେ ସୁସ୍ଥ ସମ୍ପୂର୍ଣ ହୋଇଯିବ । ଆଉ ତାହା ହିଁ ହେଲା । ଲୋକ ଗହଳି ଭିତରେ ଯୀଶୁଙ୍କ ଲୁଗା ଛୁଇଁ ଦେବା କ୍ଷଣି ତାର ରକ୍ତ ସ୍ରାବ ବନ୍ଦ ହୋଇଗଲା । କି ବିଶ୍ୱାସ ସେ ସ୍ତ୍ରୀ ଲୋକଟା ର ମ ! ଯାହା କହିଲା ତାହା କରିଦେଲା । ଲୋକ ଗହଳି ଅବା ଲୋକ ଲଜ୍ୟା ତାକୁ  ଅଟକାଇ ପାରିଲାନି । ପରେ ଯୀଶୁ ଜାଣି ତାକୁ କହିଲେ ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି (ମାର୍କ 5:34) ।

ଯୋହନ 5 ପର୍ବ ଘଟଣା । ବେଥେସଦା ପୋଖରୀ ପାଖରେ ପଡିଥିଲା ଲୋକ ଟିଏ । ଆଶା କରି ଆସିଥିଲା ସୁସ୍ଥ ହେବା ପାଇଁ । ପାଣି ଚହଳିଲେ ଯିଏ ପ୍ରଥମରେ ପ୍ରବେଶ କରୁଥିଲା ସେ ସୁସ୍ଥ ହେଉଥିଲା । ପାଣି ସଞ୍ଚାଳନ କାମ ଦୂତ କରୁଥିଲେ । ଅସୁସ୍ଥତା ଏତେ ବେଶୀ ଥିଲା ଯେ ଲୋକଟି ପାଣି ପାଖକୁ ଯାଇ ପ୍ରଥମରେ ଛୁଇଁ ଓଲ୍ହାଇ ପାରୁ ନ ଥିଲା । ଯିବା ପୂର୍ବରୁ ଅନ୍ୟ ଜଣେ ପଶି ଯାଉଥିଲା । କିନ୍ତୁ ଆଶା ଛାଡି ସେ ନ ଥିଲା । ଅପେକ୍ଷା କରି ପ୍ରତିଦିନ ରହୁଥିଲା  । ଯୀଶୁ ଦିନେ ଆସିଲେ ତାକୁ ପଚାରିଲେ, ତୁମେ କଣ ସୁସ୍ଥ ହେବାକୁ ଇଛା କରୁଛ । ତା ପରେ ଯୀଶୁ କହିଲେ, ତୁମ ଖଟିଆ ଘେନି ଚାଲ । ରୋଗୀ ଟି ତତକ୍ଷଣାତ ସୁସ୍ଥ ହୋଇଗଲା । ଶରୀରରେ ବହୁ କାଳ ଧରି ରହିଥିବା ରୋଗଟି ତା ଦେହରୁ ଚାଲିଗଲା । କି ଅପୂର୍ବ ଶାନ୍ତି ମିଳିଥିବ ତାକୁ ସେଦିନ ।

ବିଶ୍ୱାସ ଆଉ ଅବିଶ୍ୱାସ ଭିତରେ ଯୁଦ୍ଧ ଚାଲିଥାଏ ନିତି ଆମ ମନରେ । କେବେ ବିଶ୍ୱାସ ଜିତେ ତ ପୁଣି କେବେ ଅବିଶ୍ୱାସ ଜିତେ । ଯଦି ବିଶ୍ୱାସ ହାରି ଯାଏ, ତେବେ ଅବିଶ୍ୱାସ କହେ ମନକୁ ଚକ୍ରବ୍ୟୁହ ରେ ପଶି ଗଲୁ । ଆଉ ଉଠି ପାରିବୁନି ମ ! ସରିଲା ତୋ ନାଟକ । ସବୁ ତ ପାପ ର ଫଳ । ଯଦି ବିଶ୍ୱାସ ଜିତି ଯାଏ ସେ କହେ ମାଡ଼ି ଚାଲ । ସବୁ ସମ୍ଭବ ଏଠି । ଅସମ୍ଭବ ବୋଲି କିଛି ନାହିଁ । ବିଜୟ ହିଁ ବିଜୟ । ହାରିବାର ପ୍ରଶ୍ନ ହିଁ ନାହିଁ । ବିଶ୍ୱାସ ଜନ୍ମୁନି କି ସୁଜନେ !

ସୁଦୃଢ଼ ଯିରିହୋ ପ୍ରାଚୀର । ଆଗକୁ ଯିବା ପାଇଁ ବାଟ ନାହିଁ । ଅଟକି ଗଲେ ଇସ୍ରାଏଲ ମହା ଜନତା । କେମିତି ଆଗକୁ ଯିବେ ଭାଳେଣି ପଡିଲା । ପ୍ରାଚୀର ଭାଙ୍ଗିବା ବି ସହଜ ନୁହଁ । ଏହା କଣ କୋଡ଼ି ଆଉ ଶାବଳ ର କଥା କି ! ସମୁର୍ଣ୍ଣ ଅସମ୍ଭବ । ସଦାପ୍ରଭୁଙ୍କ ନିର୍ଦ୍ଦେଶ ଲୋଡ଼ା ଗଲା । ନିର୍ଦ୍ଦେଶ ଆସିଲା । ପ୍ରତିଦିନ ଥରେ ଆଉ ସପ୍ତମ ଦିନ ସାତ ଥର ପ୍ରଦକ୍ଷୀଣ ପ୍ରାଚୀର ଚାରି ପଟେ ହେବ । ବିନା ଧକ୍କା ରେ ବିନା ବଳ ରେ କଣ ପ୍ରାଚୀର ଟଳି ପାରିବ । ସମ୍ଭବନୁହଁ ! କିନ୍ତୁ ଦୃଢ଼ ବିଶ୍ୱାସ ଥିଲା ଇସ୍ରାଏଲ ଲୋକଙ୍କ ପାଖରେ । ଇଶ୍ୱରଙ୍କ ଏହି କଥାରେ ଟିକେ ବି ସନ୍ଦେହ ନ ଥିଲା ତାଙ୍କର । ଆଉ ତାହା ହିଁ ହେଲା । ସପ୍ତମ ଦିନ ସାତ ଥର ପ୍ରଦିକ୍ଷଣ ପରେ ରଟ କରି ଟଳି ପଡ଼ିଲା ଶକ୍ତ ପ୍ରାଚୀର । ତାଜୁବ ହୋଇ ଯାଇଥିବେ ଯିରିହୋବାସୀ ସଦାପ୍ରଭୁଙ୍କ ଏହି ମହାବିକ୍ରମ କାର୍ଯ୍ୟ ଦେଖି । ବିଶ୍ୱାସ ବିନା କଣ ଏହା ସମ୍ଭବ ହୋଇ ପାରିଥାନ୍ତା । ଜମା ରୁ ନୁହଁ ।

ବିଶ୍ୱାସ ଜାତ ହେଲେ ମନରେ ଅପୂର୍ବ ବଳ ଆଣିଦିଏ । ସାହସିକ କରିପକାଏ । ଦୁର୍ବଳ କୁ ସବଳ କରି ଦିଏ । ପୁଣି ବିଶ୍ୱାସ ଓ ବିଶ୍ୱାସୀ କୁ ନେଇ କେତେ କାବ୍ୟ ଆଉ କବିତା ଆମ ସମାଜରେ । ଯେମିତି କି ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ ।