Home Faith & Encouragement The Place of No-Return

The Place of No-Return

235
0

ଲେଖକ – ସିମିୟୋନ୍ ମାଳି

ସମୟ କଣ ହେଲାଣି ରେ ଭାଇ । ଆଉ ରହି ହେବନି ଏଠି । ଆମ ରାଇଜ କୁ ଫେରିବାକୁ ପଡିବ । କେବଳ କଣ ଆମେ ହିଁ  ଫେରିବୁ । ଯେଉଁମାନେ ଅନ୍ୟ ରାଇଜ ରେ ଫସି ଯାଇଛନ୍ତି ସେମାନେ ବି ନିଜ ରାଇଜକୁ ଫେରିବେ । ବାଟ ଆଉ ନାହିଁ । କାମ ଧନ୍ଦା ବି ଏଠି  ନାହିଁ  । କଣ କରିବା ଏଠି ରହି  । ନିଜ ଗାଁ ମାଟି ଆଉ ନିଜ ରାଇଜ କୁ କିଏ ନ ଭଲ ପାଏ । କିନ୍ତୁ ଯେ ଅଫେରନ୍ତା ରାଇଜ କୁ ଥରେ ଗଲା ସେ ଆଉ ଫେରି ପାରିବ କି  ! ସେ ସେଇଠି ହିଁ ରହି ଯିବ ସବୁଦିନ ପାଇଁ । ତାକୁ ଯେତେ ଖୋଜିଲେ ବି ମିଳିବନି । ତାକୁ ଯେତେ ଡାକିଲେ ବି ଉତ୍ତର ଦେବନି । ଆଜି ବି ଅନେକ ପ୍ରଶ୍ନ ଆମ ମନରେ ସେଇ ଅଫେରନ୍ତା ରାଇଜ ବିଷୟ ରେ । କେମିତିକା ସେ ରାଇଜ ? କିଏ କିଏ ସେଠି ରହୁଛନ୍ତି ? କଣ ସେମାନେ କରୁଛନ୍ତି ?  ଆଉ ଅନେକ କେତେ ପ୍ରଶ୍ନ.. !

ମୃତ୍ୟୁ ହିଁ ଜଣଙ୍କୁ ଅଫେରନ୍ତା ରାଇଜ କୁ ନେଇ ଯାଉଛି  । ଆଗରୁ ଅଫେରନ୍ତା ରାଇଜକୁ ଯିବା ଲୋକ ସଂଖ୍ୟା କମ ଥିଲା । କିନ୍ତୁ ଏ କରୋନା ରେ ଯେଉଁ ସଂଖ୍ୟା ରେ ଲୋକେ ଅଫେରନ୍ତା ରାଇଜ କୁ ଗତି କଲେଣି, ଲାଗୁଛି ସତେ ଯେପରି ପୃଥିବୀ କୁ ସଫା କରିଦେବା ପାଇଁ କରୋନା ପ୍ରତିଜ୍ଞା କରି ଆସିଛି । କଣ ଏମିତି ଭାବ ଅଛି ସେ ରାଇଜରେ ଯେ ଲୋକେ ଗଲେ ଫେରିବାକୁ ଇଛା କରୁ ନାହାନ୍ତି ନା କଣ ଏମିତି ଶକ୍ତି ଅଛି ଯେ ସେ ତା ପରିଜନମାନଙ୍କ ନିକଟକୁ ଆସିବାକୁ ଦେଉ ନାହିଁ । ଆଜି ବି ତାହା ରହସ୍ୟ ହୋଇ ରହିଛି ।

ମଣିଷ ଶରୀର, ପ୍ରାଣ ଆଉ ଆତ୍ମା ଏହି ତିନି ଗୋଟି ଉପାଦାନ ରେ ଗଠିତ । ଯେତେବେଳେ ଶରୀର ଠାରୁ ଆତ୍ମା ଆଉ ପ୍ରାଣ  ଅଲଗା ହୋଇଯାଏ, ତେବେ ଆମେ କହୁ ଲୋକଟି ମରିଗଲା ।  ଜୀବନକୁ କିଏ ଭଲ ନ ପାଏ । ଜଗତ ରେ ଆନନ୍ଦ ରେ ରହିବାକୁ କିଏ ଇଚ୍ଛା ନ କରେ । ସେଥିପାଇଁ ତ ସମସ୍ତଙ୍କର ଜୀବନ ପ୍ରତି ଭାରି ଭୟ । ମୃତ୍ୟୁର ଶେଷ ପାହାଚରେ ଥିବା ଲୋକଟି ବି ଜଗତ ଛାଡିବାକୁ ସତେ ଯେପରି ନାରାଜ । କହୁଥାଏ, ପ୍ରଭୁ ଟିକେ ବଞ୍ଚାଇ ଦିଅ । ଆଉ କିଛି ଦିନ ପୁଅ ବୋହୁ, ଝିଅ ଜୋଇଁ ସହିତ ରହିବାକୁ ଚାହେଁ । ଯଦି ଟଙ୍କାର କାରବାର ହୋଇ ଥାନ୍ତା, ଆମ ଲୋକେ ବସ୍ତା ବସ୍ତା ଟଙ୍କା ଫିଙ୍ଗି ଦେଇ ଜଗତରେ ରହିବାକୁ ମୁଲ ଚାଲ କରି ଦିଅନ୍ତେ । କଣ ତାହା ହୋଇ ପାରୁଛି, ନା ହୋଇ ପାରିବ । ସେଠି ଦଲାଲ ନାହିଁ, କି ଟଙ୍କା ପଇସା ର ଖେଳ ବି ନାହିଁ । ସବୁ ସ୍ପଷ୍ଟ । ସିଧା ସାଧା । ଗଳା ବାଟ ବୋଲି କିଛି ନାହିଁ । ଏସବୁ ଏହି ଜଗତରେ ଚାଲେ । ସେଠି ଚଳିବ ନାହିଁ ।

ମୃତ୍ୟୁ ପରେ କଣ ସବୁ ସରିଯାଏ । ଆଉ କଣ କିଛି ନ ଥାଏ ।  କିନ୍ତୁ ଜଣେ ଖ୍ରୀଷ୍ଟିଆନ ପାଇଁ ଅସଲି ଖେଳ, ସେଠୁ ହିଁ  ଆରମ୍ଭ ହୁଏ । ମୃତ୍ୟୁ ଜଣେ ଅପ୍ରସ୍ତୁତ ଲୋକ ପାଇଁ, ସମୁର୍ଣ୍ଣ ଅଡ଼ୁଆ ଲାଗି ପାରେ । କିନ୍ତୁ ଜଣେ ପ୍ରସ୍ତୁତ ଲୋକ  ପାଇଁ,  ଏକ ସାଧରଣ  ଘଟଣା । ସେ ଜାଣେ ଯେ ଇଶ୍ୱର ତା ପାଇଁ, ସ୍ଥାନ ଟିଏ ରଖିଛନ୍ତି (ଯୋହନ 14:1, 2) ।  ଆଉ ସେଠାକୁ ସେ ଯିବ (ମାଥିଉ  25:34) । ମୃତ୍ୟୁ ପରେ ଆଉ ତା ପାଖେ ରହିବ କି, ସେ କରୋନା ର ଭୟ । ନା ରହିବ ଚିକିତ୍ସା ଚାଲିଥିବା ବେଳେ ବ୍ୟବହାର ହେଉଥିବା ପୁଳା ପୁଳା ଇଞ୍ଜେକ୍ସନ୍ ।  ନା  ରହିବ ନାକରେ ଲାଗିଥିବା  ଅକ୍ସିଜେନ ପାଇପ୍ । ନା  ଦରକାର ପଡ଼ିବ ଜୀବନ ରକ୍ଷାକାରୀ ସରଞ୍ଜାମ । ନା ଆବଶ୍ୟକ ପଡ଼ିବେ ଆଇସିୟୁରେ ମୁହଁରେ ମାସ୍କ୍ ପିନ୍ଧି, ହାତରେ ଗ୍ଲୋଭ୍ସ୍ ମାରି, ପିପିଇ କିଟ୍ସ୍ ପିନ୍ଧି ଚିକିତ୍ସା କରୁଥିବା ଡାକ୍ତର  ମାନେ । ନା ଥିବ ସେ କଷ୍ଟ ନା ଯନ୍ତ୍ରଣା । କିଛି  ନାହିଁ । ମଣିଷ ଟିକେ ଆରାମ ପାଇବ ସେଠି ।

ଜଗତ କୁ ଆସିଛ, ତ ମୃତ୍ୟୁ ସୁନିଶ୍ଚିତ ।  କେହି ତାହାଠାରୁ, ସାଇଡି ମାରି ଯାଇ ପାରିବେନି । କିନ୍ତୁ  କି  ଭାଗ୍ୟବାନ  ହନୋକ ସତରେ । ଜୀବନରେ  365 ବର୍ଷ ବଞ୍ଚିଲେ । କିନ୍ତୁ ମୃତ୍ୟୁ ତାଙ୍କ ପାଖ ମାଡି ପାରି ନଥିଲା । ଖାଲି କଣ ହନୋକ । ଆଉ ଜଣେ ସାଧୁ ବ୍ୟକ୍ତି ଥିଲେ, ତାଙ୍କ ନାମ ଏଲିୟ ଥିଲା  । ସେ ବି କମ୍ ନ ଥିଲେ ମ  ! ମୃତ୍ୟୁ  କଣ ଡରାଇବ ସେମାନଙ୍କୁ  । ଡରିଗଲା ମୃତ୍ୟୁ ନିଜେ,  ସେଇ ଦୁଇ ଜଣ ସାଧୁ ବ୍ୟକ୍ତିଙ୍କ ପାଖରେ । ସତରେ କଣ ଥିଲା ସେ ରହସ୍ୟ । କେଉଁଟି ତାଙ୍କର ବଳ ଥିଲା ।  ଶରୀର ରେ  ନା ଇଶ୍ୱର ଭକ୍ତିରେ । ସେଥିପାଇଁ ମୃତ୍ୟୁ ହାର ମାନିଗଲା । ଥରେ କେବେ କେଉଁଠି ଦେଖା ହେଲେ, ସେମାନଙ୍କ ସହିତ ଏହାର ରହସ୍ୟ ତ ପଚରା ଯାଇ ପାରିବ । ସେମାନଙ୍କ ମୁହଁରୁ କେତେ କଥା ଶୁଣିବାକୁ ମିଳିବ ।

ସବୁର ସମୟ ଅଛି । ଜନ୍ମ ଆଉ ମୃତ୍ୟୁ ର ବି ସମୟ ଅଛି । କିନ୍ତୁ କିଏ ଜାଣି ପାରୁଛି, ମୃତ୍ୟୁ କେତେ ବେଳେ ଆସିବ । ନିଜ ଆୟୁ ଯଦି ଜଣେ ଜାଣି ପାରନ୍ତା । ତେବେ ସେ ତାର ଜୀବନକୁ, ମଉଜ ମଜଲିସ ରେ କାଟି ପାରନ୍ତା । ମୃତ୍ୟୁ ର କିଛିଦିନ ପୂର୍ଵରୁ ଭାଗବାଣ୍ଟ କରି ପାରନ୍ତା । ଦଲିଲ୍ ରେ ସାଇନ କରନ୍ତା । ସବୁ ଯୋଗାଡ଼ କରା ଯାଇ ପାରନ୍ତା । ଦରକାର ପଡ଼ିଲେ, ବିଦାୟ କାଳୀନ ସଭା ଟିଏ ବି କରିପାରନ୍ତା । ଟା ଟା କରି ଯାଇ ପାରନ୍ତା । ତାହା କଣ ହୋଇ ପାରୁଛି ! ଅକସ୍ମାତ କେତେ ବେଳେ କାହାକୁ ଘୋଷାଡ଼ି ନେଇ ଯାଉଛି ମୃତ୍ୟୁ, ଜାଣି ଜମାରୁ ହେଉନି । ସେଥିପାଇଁ ହିଁ ମନ ଭାରି ଦୁଃଖ ରହୁଛି । ବିଚରା ଟି, କିଛି କଥା କହି ଯାଇଥାନ୍ତା କି ।  ଆଉ କିଛି ଦିନ ବଞ୍ଚି ଯାଇ ଥାନ୍ତା କି । ମନେ ପଡିଲେ ତାର କଥା, ହୃଦୟ ଭାଙ୍ଗିଯାଉଛି  । ଆଖି ପତା ନିଜେ ନିଜେ ଓଦା ହୋଇ ଯାଉଛି  ।

ମୃତ୍ୟୁ ପରେ କଣ କିଛି ନେଇ ହେଉଛି କି ।  କିଛି ନାହିଁ ମ ! ଛାଡ଼ ସେ ବ୍ୟାଙ୍କ୍ ବାଲାନ୍ସ୍ । ଛାଡ ସେ ଆପଏନ୍ଟମେନ୍ଟ୍ । ବାଇବଲ୍ କହୁଛି, ଜଗତ କୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନି ଯାଇ ନ ପାରୁ (1ମ ତୀମଥି 6:7) । ଯଦି ଅଛି, ଦେଇ ଦିଅ ଅନ୍ୟ ପାଇଁ । ଖାଇ ଚାଲନ୍ତୁ, ଆପଣା  ଝାଳ ବୁହା ଅର୍ଜିତ ଧନକୁ । ବ୍ୟାଙ୍କ ନାହିଁ ମ ଅଫେରନ୍ତା ରାଇଜ ରେ । ଏଟିଏମ୍ କଥା କିଏ  ପଚାରେ । ସବୁ ଛାଡିବାକୁ ହେବ ଏଠି । ଖାଲି କଣ ଟଙ୍କା । କେତେ ଡିଗ୍ରୀଧାରୀ, କିଏ ପଚାରେ ମ ସେଠି କାହାକୁ । କେତେ ବାହୁବଳୀ ସେଠି । କିଏ ତାଙ୍କୁ ପଚାରେ  । ମହାନ ଆଲେକ୍ସାଣ୍ଡର୍ ହାତ ଦୁଇଟାକୁ ଶୂନ୍ୟ କରି ଚାଲିଗଲେ ନିଜ ମୃତ୍ୟୁ ବେଳକୁ  । ଆଉ ଅନ୍ୟ ଲୋକଙ୍କ କଥା କାହିଁକି ପ୍ରସଙ୍ଗକୁ  ଆଣିବା ।

ଧନୀ, ଦରିଦ୍ର, ଜ୍ଞାନୀ ଆଉ ମାନି, ଭଲ ଆଉ ମନ୍ଦ ଲୋକ ସମସ୍ତେ ତ ଅଫେରନ୍ତା ରାଇଜ କୁ ଯାଉଛନ୍ତି ପ୍ରତିଦିନ । କଣ ସମସ୍ତେ ଏକାଠି ମିଶି ରହୁଛନ୍ତି କି ସେଠି ?  ନାହିଁ, ଏକାଠି ରହିବା ସମ୍ଭବ ନାହିଁ । ଧନୀ ଲୋକ ଟିଏ ଥିଲା ଜଗତରେ । ବହୁତ ବାହା ପିଆ ଥିଲା । ଦିନେ ସେ ମରିଗଲା । ତାର ଘର ଆଗରେ ଭିକ୍ଷା ମାଗି ଚଳୁଥିବା, ଲାଜାର ମଧ୍ୟ ଦିନେ ମରିଗଲା । ଦୁଇ ଜଣ ତ ମରିଗଲେ । ଜଗତ ମଧ୍ୟ ଛାଡିଲେ ଦୁଇ ଜଣ । କିନ୍ତୁ ହେଲା କଣ । ଲାଜାର ଗଲା  ଅବ୍ରହାମଙ୍କ କୋଳକୁ । କିନ୍ତୁ ଧନୀ ଗଲା ନର୍କ କୁ । ତାଙ୍କର ନିଜ କାର୍ଯ୍ୟ ହିଁ ତାଙ୍କୁ ଅଲଗା କରିଦେଲା । ସ୍ଥାନ ଅଲଗା ହେଲେ କଣ ହେବ । ଧନୀ ଦୂରରୁ ଲାଜାରକୁ ଚଟ୍ କରି  ଚିହ୍ନି ପକାଇଲା । ଅଫେରନ୍ତା ରାଇଜରେ ଜଣେ ଅନ୍ୟକୁ ଚିହ୍ନି ପାରିବାର ବ୍ୟବସ୍ଥା ଅଛି । ଆମେ ଭାବି ଥିଲୁ କିଛି ନ ଥିବ । ଯିଏ ତା ବାପା କୁ ହରାଇଛି, ସେ ସେଠାରେ ତାଙ୍କୁ ଚିହ୍ନି ପାରିବ । ମାଆ ପୁଅକୁ ଚିହ୍ନି ପାରିବ । ସ୍ୱାମି ସ୍ତ୍ରୀ କୁ ମଧ୍ୟ ଚିହ୍ନି ପାରିବ । ଅଜା ନାତୁଣୀ କୁ ଚିହ୍ନି ପାରିବ । ଯଦି ପରିବାରର  ସମସ୍ତେ ଅବ୍ରାହାମଙ୍କ କୋଳ କୁ ଯିବେ । କି ଭଲ ଲାଗନ୍ତା ସତେ ! ଜଗତରେ ମିଶିକି ଥିଲେ । ସେଠି ବି ମିଶିକି ରହିବେ । ଏହା ଠୁ ଆଉ ଭଲ ପାରିବାର କେଉଁଠି ଅଛି । ଯେ ନର୍କ ଗଲା । ସେ କି କଷ୍ଟ , କହି ହେବନି ଆଉ । ନିଆଁରେ  କଲବଲ ହେବା ଛଡ଼ା ଆଉ ବାଟ ନାହିଁ । ତଣ୍ଟି ଶୁଖି ଯିବ ସେଠି । ପାଣି ଟିକେ ମାଗିଲେ ବି, କିଏ ସେଠି ଦେବେନି । ଦାନ୍ତ ରଗଡ଼ିବା ଶବ୍ଦ ରେ ଚାରିଆଡ଼େ ଫାଟି ପଡୁ଼ଥୁବ । ତ୍ରାହି ମିଳିବନି ସେ ନର୍କ ଯନ୍ତ୍ରଣାରୁ ।

ସୁଜନେ, ଅନୁତାପ ର ମୂଲ୍ୟ କିଛି ନାହିଁ ଅଫେରନ୍ତା ରାଇଜ ରେ । କାନ୍ଦି କି ଗଡି ଗଲେ ବି କିଏ ଆପଣଙ୍କୁ ପଚାରେ ସେଠି । ସେଠି ଖାଲି ଭଲ ଆଉ ମନ୍ଦ ର ହିସାବ ନିକାସ କଥା । ମଣିଷ ଜଗତରେ ବଞ୍ଚିଥିବା ବେଳେ ଯେଉଁ କାର୍ଯ୍ୟ କରିଛି, ତାହା ହିଁ ସେଠି ହିସାବ କିତାବ ହୁଏ  । ଆଉ ତହିଁ ଅନୁଯାଇ ଫଳ ମିଳେ । ବେଳ ଥାଉ ଥାଉ ସଜାଡ଼ି ଦେଉ ଆମ ଚରିତ୍ର । ଇଶ୍ୱରଙ୍କୁ ଟିକେ ଭୟ କରୁ । ସମର୍ପିତ ଜୀବନ ଟିକେ କାଟୁ । ଯିଏ ଏହି ଜୀବନ କାଟୁଛି, ସେ କାହିଁକି ଭୟ କରିବ ଅଫେରନ୍ତା ରାଇଜକୁ ନେଇ । କେତେ ବେଳେ ବି ଡାକରା ପଡ଼ୁ, ସେ ସେଥିପାଇଁ ପ୍ରସ୍ତୁତ । ସେ ମନା କରିବାକୁ କିଏ । ଯେ ଡାକୁଛନ୍ତି ସେ ଜାଣିଛନ୍ତି କଣ କଣ ବିପଦ ଆଗକୁ  ତା ପାଇଁ ଅଛି । ସେଥି ପାଇଁ ସେ ଡାକି ନେଉଛନ୍ତି । ବାଇବଲ କହେ ଆସନ୍ତା ବିପଦରୁ, ଧାର୍ମିକମାନେ ନିଆ ଯାଉଛନ୍ତି ଏହା କେହି ବିବେଚନା କରୁ ନାହିଁ (ଯିଶାଇୟ 57:1) ।