Home Faith & Encouragement An Unwanted Celebration

An Unwanted Celebration

199
0

ଲେଖକ – ସିମିୟୋନ୍ ମାଳି

କଣ କହିଲେ ଆଜ୍ଞା ! ରାଜ ଉଆସରେ ଜନ୍ମ ଦିନ । ଲୋକେ ଘରେ ଘରେ ଜନ୍ମ ଦିନ ପାଳନ କରୁଛନ୍ତି । କେକ୍ କାଟୁଛନ୍ତି ।  ଭୋଜିଭାତ କରୁଛନ୍ତି । ରାଜ ଉଆସରେ ଜନ୍ମ ଦିନ କାହିଁକି ପାଳନ ନ ହେବ । ରାଜା ରାଜୁଡ଼ାମାନେ କଣ ନିଜ ଜନ୍ମ ଦିନ ଭୁଲିଯିବେ । ତାଙ୍କର କଣ ମଉଜ ମଜଲିସ ବୋଲି କିଛି ନାହିଁ ।

ସେଦିନ ଜନ୍ମ ଦିନର ସେଲିବ୍ରେସନ୍ ଚାଲିଥାଏ, ହେରୋଦଙ୍କ ରାଜ ଉଆସରେ । ଜନ୍ମଦିନର ସେଲିବ୍ରେସନ୍ ଚାଲିଛି ମାନେ, ଡ୍ୟାନ୍ସ  କେମିତି ହେବନି । ପୁଣି ରାଜ୍ୟର ମୁଖିଆଙ୍କ ଜନ୍ମଦିନ । ଅଲବତ୍ ହେବ ଡ୍ୟାନ୍ସ୍ ନା । ଯେଉଁଠି ଡ୍ୟାନ୍ସ୍ ନାହିଁ, ତାହା କଣ ସେଲିବ୍ରେସନ୍ । ଡ୍ୟାନ୍ସ୍  ଟିକେ ଥମି ଯାଇଛି କରୋନା ପାଇଁ ନା । ଆସୁ ପର୍ବ ପର୍ବାଣି । ପୁଣି ଝାପ୍ସା ଝାପ୍ସା ଆଲୁଅ ଦରକାର ପଡ଼ିବ । ଡିଜେ ସାଉଣ୍ଡ୍  ବି ଆସିବ । ଆମ ପିଲେ ଡ୍ୟାନ୍ସ କରିବେ । ମନ ମୋହିନେବେ । ସେଲିବ୍ରେସନ୍ ଟା ସେଲିବ୍ରେସନ୍ ଭଳି ହେବା ଦରକାର୍ । ଡ୍ୟାନ୍ସ୍ ଆରମ୍ଭ ହେଲା । ଡ୍ୟାନ୍ସ୍ ଟା ମଡର୍ନ୍ ଥିଲା କି ଓଡ଼ିଶୀ ଥିଲା ନା ଲୋକନୃତ୍ୟ ଥିଲା, ଜଣା ନାହିଁ । କିନ୍ତୁ ନାଚୁଥିଲା ଝିଅ ଟିଏ । ମୁଗ୍ଧ କରିପକାଇଲା ସମସ୍ତଙ୍କୁ । କିଛି ନ ଭାବି କହିପକେଇଲେ ହେରୋଦ ଝିଅକୁ, କଣ ମାଗୁଛ ମାଗ । ତୁମକୁ ଦିଆଯିବ (ମାଥିଉ 14:7) । କଣ ଆଉ ସେ ଭାବିଥିଲେ, ଏତେ ଗଭୀର କଥା ଏଠି ଅଛି ବୋଲି । ଝିଅ କଣ ମାଗିବ ଜାଣି ପାରିଲାନି । ଦୌଡ଼ି ଗଲା ମାଆ ପାଖକୁ ଆଉ ପଚାରିଲା । ଆସି କହିଲା ମୋତେ ଡୁବକ ଯୋହନଙ୍କ ମସ୍ତକ ଦରକାର ।

ଅନେକ ଲୋକ ଥିଲେ ତାଙ୍କ ରାଜ୍ୟରେ । କାହାର ବି ମୁଣ୍ଡ ଆଣିବାପାଇଁ ହେରୋଦିଆ ତାର ଝିଅ କୁ ଶିଖାଇ ପାରିଥାନ୍ତେ । କେବଳ  ଡୁବକ ଯୋହନଙ୍କ ମସ୍ତକକୁ ହିଁ କାହିଁକି ଆଣିବା ପାଇଁ ଅଡ଼ି ବସିଲେ !  ଓହୋ ! ଭୁଲ୍ କରିବ ତୁମେ । ଶାସ୍ତି ଦେବ ଅନ୍ୟକୁ । ପରିବାର ଥାଉ ଥାଉ, ଯାହାକୁ ଇଛା ତାକୁ ପ୍ରେମ କରିବ । ନିଜ ଜ୍ଞାତି କୁଟୁମ୍ବ ବୋଲି କିଛି ମାନିବ ନି । ଝିଅକୁ ଧରି ପ୍ରେମ କରୁଥିବା ଲୋକ ପାଖକୁ ପଳାଇବ । ତାହା ଠିକ୍ ନାହିଁ ବୋଲି କହିଲେ । ଭିଡ଼ିଆଣି ଜେଲ୍ ରେ ମାଡ଼ିଦେବ । ଯାହା ଇଛା ତାହା କରିବ । ଭୁଲ କରିଛ ତୁମେ । ସେଥିପ୍ରତି ତ ଟିକେ ମନରେ ଦୁଃଖ ନାହିଁ । ବରଂ ପାୱାର୍ ଇସ୍ତେମାଲ୍ କରୁଛ । ଏପରିକି ମସ୍ତକ କାଟିବାକୁ ବି ପଛାଉ ନାହିଁ ।  ଯାହା କରୁଛ ଠିକ୍ କରୁନ । ଭଲ ବଦଳେ ମନ୍ଦ ତୁମେ କରୁଛ । ମନ୍ଦ ତୁମକୁ କେବେ ଛାଡିବ ନାହିଁ । ଜୋକ ଭଳି ଲାଗି ରହିବ ତୁମ ପରିବାରରେ । ଏହା ଜାଣି ରଖି ଥାଅ ।

ଡୁବକ ଯୋହନଙ୍କୁ କିଏ ନ ଜାଣେ । ପଥ ପ୍ରସ୍ତୁତ କରିବା ତାଙ୍କ କାମ ଥିଲା । ତାଙ୍କର ପୋଷାକ ଆଉ ଖାଦ୍ୟ ବି ନିଆରା ଥିଲା । ପଙ୍ଗପାଳ ଆଉ ଟିକେ ବନ ମଧୁ ହେଲେ ଜମି ଯାଉଥିଲା ତାଙ୍କ ଖାଦ୍ୟ । ଶରୀର ପରିବର୍ତ୍ତନରୁ କଣ ମିଳିବ । ଯଦି ମନ ପରିବର୍ତ୍ତନ ହୋଇ ନାହିଁ, ସେଥି ପାଇଁ ମନ ପରିବର୍ତ୍ତନ କଥାକୁ ସେ ବାରମ୍ବାର କହୁଥିଲେ । ଖାଲି କଣ ଖାଦ୍ୟ ନିଆରା ପ୍ରଚାର ବି ନିଆରା । ଫାରୁଶୀମାନଙ୍କୁ ଦେଖି ଡରି ଯିବାର ଲୋକ ସେ ନ ଥିଲେ । ଟିକେ ଅଡ଼ୁଆ ହେଲେ କଥା ସରିଲା । ସିଧା ଗୋତ୍ର ଆଉ ବଂଶକୁ ନେଇ ଆଟାକ୍ କରୁଥିଲେ । କହୁଥିଲେ ତୁମ ବଂଶ ଭଲ ଵଂଶ ନୁହଁ । କାଳ ସର୍ପ ବଂଶରୁ ତୁମେ ଆସିଛ । କିଛି ନାହିଁ ତୁଚ୍ଛାଟାରେ ଅବ୍ରହାମ ଆମ୍ଭମାନଙ୍କ ପିତା ବୋଲି କହିଲେ କଣ ହୋଇଯିବେ । ସେସବୁ କିଛି ଚଳିବ ନାହିଁ । ଫଳ ଫଳିବାକୁ ପଡ଼ିବ, ନଚେତ ଅଗାଡ଼ି ଗୁଡ଼ାକ ନିଆଁରେ ପକାଯିବ । ଗହମକୁ କୁଲାରେ ଯେପରି ପରିଷ୍କାର କରାଯାଏ, ସେପରି ପରିଷ୍କାର କରାଯିବ । ଏସବୁ କଥା ରହୁଥିଲା ତାଙ୍କ ପ୍ରଚାରରେ ।

ଆଜି ଏଭଳି ପ୍ରଚାର କରିହେବ କି । ଆଜିକାଲିର ପ୍ରଚାର ଲୋକଙ୍କ ସୁହାଇଲା ଭଳି ହେଲାଣି । ଅନ୍ୟର ମନକୁ କିଣିବା ଭଳି  ବାକ୍ୟ ପ୍ରଚାର ହେଉଛି । ନ କରିବା ବାଟ ବି ନାହିଁ । ସ୍ପଷ୍ଟ ପ୍ରଚାର କଲେ ଭାରି ଅଡ଼ୁଆ ଏଠି । ଲୋକଙ୍କ ଭୁଲ୍ କୁ ଦେଖାଇଲେ, ଏଠି ଲୋକଙ୍କୁ ଭାରି ବାଧିବ । ବାକ୍ୟରେ ଲୋକେ କ୍ଷତ ବିକ୍ଷତ ହେବେ । ଦନ୍ତା ହାତୀ ଭଳି ରଡ଼ି ମାରିବେ । ଅତର୍କିତ ଆକ୍ରମଣ କରିଦେବେ । ସେଥିପାଇଁ ତ ଆଜି ଅନେକ ପାଷ୍ଟର୍ ପାୱାର୍ ଲେସ୍ । ସାହସ ନାହିଁ କି ସେହି ଦମ୍ଭ ବି ନାହିଁ ସ୍ପଷ୍ଟ ପ୍ରଚାର କରିବା ପାଇଁ ଲୋକଙ୍କୁ ଦେଖି ସବୁ ଚାଲିଛି ଏଠି, ଆଉ ଚଳାଇବାକୁ ବି ପଡିବ ।

ଭୁଲ୍ ଯାହା ତାହା ଭୁଲ୍ । ଭୁଲ୍ କୁ ଦେଖି ଅନେକ ଆଖି ବୁଜି ଦିଅନ୍ତି । ସଂଶୋଧନ କରିବାକୁ ସାହସ କରନ୍ତି ନାହିଁ । ଭାଇର ସ୍ତ୍ରୀକୁ ଅନ୍ୟ ଭାଇ କେମିତି ଆଣି ରଖିପାରିବ । ତାହା କଣ ବିଧି ସଙ୍ଗତ ଅଟେ । ହେରୋଦ ତାହା କରିଥିଲେ । ସ୍ତ୍ରୀ ଥାଉ ଥାଉ ନିଜ ଭାଇ ର ସ୍ତ୍ରୀ ହେରୋଦିଆ କୁ ଆଣି ରଖି ଥିଲେ । ଗାଲିଲୀ ର ଲୋକେ କଣ ଜାଣି ନ ଥିଲେ ଏ ଘଟଣା ! ସବୁ ଜାଣି ଥିଲେ । କିନ୍ତୁ ସାହସ ନ ଥିଲା କହିବାକୁ ମଣିମାଙ୍କୁ । ଡୁବକ ଯୋହନ ଏହାକୁ ଘୋର ବିରୋଧ କଲେ । ସିଧା ଆଙ୍ଗୁଠି ଦେଖାଇଲେ ହେରୋଦଙ୍କ ଆଡ଼କୁ । ସିଧା ସିଧା କହିଲେ ଯାହା ସେ କରିଛନ୍ତି ତାହା ବେଆଇନ୍ । ତାହା ଘୋର ଅପରାଧ୍ । ହେରୋଦ ଆଉ ହେରୋଦିଆଙ୍କ ଚୋରା ପ୍ରେମରେ କାଳେ ଭଟା ପଡ଼ିଯିବ । ସେଥିପାଇଁ ଡୁବକ ଯୋହନଙ୍କୁ ମୂଳରୁ ସଫା କରିଦେବା ପାଇଁ ସେମାନେ ଚିନ୍ତା କରିଥିଲେ । କିନ୍ତୁ ଟିକେ ଅଡ଼ୁଆ ରହିଗଲା । କାରଣ ଡୁବକ ଯୋହନଙ୍କ ଜନ ସମର୍ଥନ ଢେର ଥିଲା । ସତରେ ଯାହା ପାଖରେ ପାୱାର୍ ଅଛି,  ସେ କଣ ଆଉ କାହାକୁ ମାନୁଛି । ନା କାହାକୁ ବୁଝି ପାରୁଛି । ନା କାହାକୁ ଡ଼ରୁଛି । ତାହାର ସବୁ ଭୁଲ ଠିକ୍ । ତାର ବେଆଇନ୍ କର୍ମ ସବୁ ପବିତ୍ର । ସେ ଗୁପ୍ତ ରେ ଯାହା କିଛି ବି କରି ପାରିବ । ସେ ସବୁ ମାଫ୍ ।

ହେରୋଦ ଙ୍କ ଭୁଲ୍ ଦେଖାଇବା ହିଁ ବିପଦ ହେଲା ଯୋହନଙ୍କ ପାଇଁ । ଅଦିନରେ ଝଡ଼ି ପଡ଼ିଲା ଜୀବନଟିଏ । ଶେଷରେ ଯୋହନଙ୍କ ମସ୍ତକ ଛେଦନ କରାଗଲା । କଟା ମସ୍ତକ ଅଣାଗଲା ଏକ ପ୍ଲେଟ୍ ରେ । ଝିଅ ଟିକୁ ଦିଆଗଲା । କଥା ସିନା ରଖିଲେ ହେରୋଦ । ଯୋହନଙ୍କ ମସ୍ତକ ଛେଦନ କରି କଣ ପାଇଲେ ସେ ଆଉ ହେରୋଦିଆ ! ଜାଣି ପାରିଲେନି କିପରି ସାଧୁ ବ୍ୟକ୍ତିଙ୍କ ବିରୁଦ୍ଧରେ ଯିବା ଠିକ ହେବନି ବୋଲି । ମନ ଯାହା ଚାହିଁଲା କରି ବସିଲେ ହେରୋଦ । କଣ୍ଟାକୁ ସଫା ସିନା କରିଦେଲେ । କିନ୍ତୁ ଯିଏ ଯାହା ବୁଣେ ସେ ତାହା କାଟିବ । ଯାହା ସେ ବୁଣିଲେ ଯୋହନଙ୍କ ବିରୁଦ୍ଧରେ ତାହା ସେ ନିଶ୍ଚୟ କାଟିଥିବେ ପରବର୍ତ୍ତୀ ଜୀବନରେ । ଏ  କଥା ର ଅନ୍ୟଥା ହୋଇଛି ନା ହୋଇ ପାରିବ ।

ଅନ୍ୟାୟ କଣ ଆମ ସମାଜରେ ନାହିଁ ! ମଣ୍ଡଳୀରେ କଣ ନିୟମ ବିରୁଦ୍ଧ କାର୍ଯ୍ୟ ହେଉ ନାହିଁ ! ପାତର ଅନ୍ତର ହେଉନି କି । ମୁହଁ ଦେଖି କାରବାର ଚାଲିନି କି । କେତେ ଲୋକ ଏହା ଦେଖି ପାରନ୍ତି ! ବୋଧେ ସମସ୍ତେ । ଅଧିକାଂଶ ଦେଖି ନ ଦେଖିଲା ପରି ରହନ୍ତି । କିନ୍ତୁ ଅଳ୍ପ ଲୋକ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି । ଏମାନେ ଏମିତି ଗଢ଼ା । ଅନ୍ୟାୟକୁ ଦେଖି ଆଖିକୁ ଏମାନେ ବନ୍ଦ୍ କରିପାରିବେନି । ମୁହଁ ଏମାନଙ୍କ ଅଲବତ ଫିଟିଯିବ । ସତ୍ୟ ଯଦି ବନ୍ଧା ପଡିଛି ଅସତ୍ୟ ଆଗରେ, ଏମାନେ ଫିଟାଇଦେବେ ବଳ କୌଶଳ ଲଗେଇ । ଦୁର୍ନୀତି ମୁକ୍ତ ହେଉ ଆମ ସମାଜ ଏହା ହିଁ ଏମାନଙ୍କ ଇଛା । ମାନିବାକୁ ପଡ଼ିବ ଏମାନଙ୍କ ମାନସିକତାକୁ । ଆବଶ୍ୟକ ପଡ଼ିଲେ ଏମାନେ ଜୀବନକୁ ବି ଯୁଦ୍ଧରେ ଲଗାଇଦେବେ । ଏମାନେ ବି ଗୋଟିଏ ଗୋଟିଏ ସକ୍ରେଟିସ୍ ଏବଂ ଡିଇଟ୍ରିକ୍ ବୋନହୋଫର୍